ସୁଖ ଦୁଃଖ ଦୁହେଁ ଯାଆଁଳା ଭାଇ
ଗୋଟିଏ ପ୍ରଶ୍ନର ଉତ୍ତର ଖୋଜୁଛି
ଉତ୍ତର କିଏ ସେ ଦେବ
ଯିଏ ଦେବ ମୋତେ ସଠିକ୍ ଉତ୍ତର
ସିଏ ଗୁରୁ ମୋର ହେବ ।
ଖାଲି ସୁଖ କଥା କିଏ ସେ ଜାଣିଛି
ଖାଲି ଦୁଃଖକୁ ଦେଖିଛି
ଖାଲି ହସ ଖାଲି ଓଠରୁ ଝରିଛି
ଖାଲି ଲୁହରେ ଭିଜିଛି ।
କେ ଦେବ ଉତ୍ତର ହାତ ଟେକି ଦେଲ
ପଚାରିବି ଜଣଜଣ
ଠିକ୍ ଉତ୍ତରକୁ ପାଇଗଲା ପରେ
ଦୂରହେବ ଭ୍ରମ ମାନ ।
ଜନମ ହୋଇଲୁ ମାଆର ଗର୍ଭରୁ
ମାଆ ପାଇଲା ଯନ୍ତ୍ରଣା
ହସିହସି ପୁଣି କୋଳରେ ପୁରାଇ
କଲା କାନିର ଝୁଲଣା ।
ପରୀକ୍ଷା ପ୍ରସ୍ତୁତି କରିବାକୁ ବ୍ଯସ୍ତ
ଦିନ ଓ ରାତି ଅନିଦ୍ରା
ଫଳ ବାହାରିଲା ସନ୍ତୋଷ ବଢିଲା
ତୁଟିଗଲା ସବୁ ତନ୍ଦ୍ରା ।
ଗଛଟିଏ ପୋତି ଯତନେ ବଢାଇ
ବହୁ ଦିନ ଅତିକ୍ରାନ୍ତେ
ଫୁଲ ଫଳ ଯେବେ ପୁରିଲା ଡାଳରେ
ଖୁସି ଉଭା ଅବିଶ୍ରାନ୍ତେ ।
କେତେବେଳେ ସୁଖ ଲଟପଟ ହୁଏ
ମନରେ ଅସୀମ ତୃପ୍ତି
ପୁଣି ଦୁଃଖରାଶି ଉଦ୍ଭାସିତ ଆସି
ମନେ ଜାଗେ ନାନା ଭୀତି ।
ଭାବନା ସୁଖକୁ ଜାବୁଡି ଧରିବ
ଦୁଃଖକୁ ଫୋପାଡି ଦେଇ
ଦୁଇଜଣ ଯାକ ରହନ୍ତି ଏକାଠି
ଦୁହେଁ ପା ଯାଆଁଳା ଭାଇ ।
ସବୁ ଘଡିପରେ ଏକାଠି ଥାଆନ୍ତି
ବେଶୀ କମ୍ ଭାଗନେଇ
ମୁଗ୍ଧ ପ୍ରାଣ ଆଉ ଦଗ୍ଧିଭୂତ ମନ
ଛାଡି ଯାଆନ୍ତିନି କେହି ।
ଆଲୋକ ସୁଖର ଅନ୍ଧାର ଦୁଃଖର
ପ୍ରତି କାର୍ଯ୍ୟ ଧାରେଧାରେ
ଏକାଠି ହସନ୍ତି ବସନ୍ତି ଗପନ୍ତି
କେବେ ଅଶ୍ରୁ ଝର ଝରେ ।
ଖାଲି ସୁଖ ପଛେ ଧାଇଁବୁନୁ ଧନ
ହେବୁନୁ ଦୁଃଖେ ବିକଳ
ଖାଲି ସମ୍ପଦରେ ହେବୁନୁ ବିଭୋର
ବିପଦରେ ଅସମ୍ଭାଳ ।
ଆଉ କହିବି କି ଅଧିକ ବୁଝାଇ
ତୁମେ ଦେଇଥାନ୍ତ ଯାହା
ସୁଖଦୁଃଖ ଦୁହେଁ ଯାଆଁଳା ଭାଇକି
କହିଦେଲ ମୋତେ ଆହା ।
- ପଙ୍କଜିନୀ ଉପାଧ୍ୟାୟ
ଯାଜପୁର
*******
ସମ୍ପାଦକ - ଜିତେନ୍ଦ୍ର ସେଠ
(Admin - www.loveodia.com)
(ଆମର ଏହି ୱେବ୍ ସାଇଟ୍ ମାଧ୍ୟମରେ ଯଦି ଆପଣ ବି ଆପଣଙ୍କର ଲେଖା କବିତା, ଗଳ୍ପ କିମ୍ବା କାହାଣୀ ଗୁଡିକୁ ପାଠକ ମାନଙ୍କ ଆଗରେ ପହଞ୍ଚାଇବାକୁ ଚାହାନ୍ତି ତେବେ ଆଉ ଡ଼େରି ନକରି ଆମ ସହିତ ଯୋଗାଯୋଗ କରନ୍ତୁ । ଆପଣଙ୍କର ଲେଖା ସହିତ ସମ୍ପୂର୍ଣ୍ଣ ଠିକଣା, ମୋବାଇଲ୍ ନମ୍ଵର ଏବଂ ସାଥିରେ ଏକ ପାସପୋର୍ଟ ସାଇଜ୍ ଫଟୋ ଉକ୍ତ ଠିକଣାରେ ଇ.ମେଲ୍ କରନ୍ତୁ । ଆମର ଇ. ମେଲ୍ ଠିକଣା ହେଲା - loveodia999@gmail.com
(ବିଶେଷ ସୂଚନା - ଲେଖାଟି Text Format ରେ ପଠେଇବେ । ଯଦି ଲେଖାଟିକୁ କାଗଜରେ ଲେଖି କିମ୍ବା ବହିରୁ ଫଟୋ ଉଠାଇ ପଠାଇଲେ ଗ୍ରହଣ କରାଯିବ ନାହିଁ)
0 Comments