କାଉଁରୀ କନ୍ୟା
ଷୋହଳ ବୟସୀ ଅନୁଢା କିଶୋରୀ
ଆଖିରେ ଆଖିଏ ସ୍ବପ୍ନ
ବୟସ ବସନ୍ତେ ଉଛୁଳା ଯୌବନ
ସପନ ଜୀବନ ମାନ ।
ସର୍ବାଙ୍ଗ ଶରୀରେ ଭାବର ତରଙ୍ଗ
ସବୁ ପ୍ରୀତି ପାର୍ବଣର
ଚଳଚଞ୍ଚଳ ତା ଜୀବନର ଗତି
ଅପୂର୍ବ ଭାବ ସମ୍ଭାର ।
ଆଖି କଥା କହେ ଓଠ ଥରୁଥାଏ
ସ୍ମିତହାସ୍ୟ ଥାଏ ମୁଖେ
ଗଜଗମନୀ ତା ଚାଲିର ଛନ୍ଦରେ
ପଦ୍ମଫୁଲ କିଏ ଦେଖେ ।
ଅଣ୍ଟାଭଙ୍ଗା ତାର ନର୍ତ୍ତନର ଛନ୍ଦ
କୋଟି କନ୍ଦର୍ପକୁ ଜିଣି
ସ୍ବପ୍ନର ସଉଧ ଆଶା ହେବ ସିଦ୍ଧ
କିଏ ନେବ ମନ କିଣି ।
ଏତେ ସ୍ବପ୍ନ ସବୁ ସଜାଇଲା ପରେ
ହେଲେ ମୃତ୍ୟୁର ପଥିକ
କୁଆଁରୀ ମନର ସ୍ବପ୍ନରାଜି ମାନ
ଅତୃପ୍ତ ଆତ୍ମା ପ୍ରତୀକ ।
ବୁଲେ ଏଣେ ତେଣେ ମଶାଣି ଭୂଇଁରେ
ଖୋଜେ ସେ ରାଜକୁମାର
ସମର୍ପି ଦେବ ସେ ହୃଦୟକୁ ତାର
ଅନୁଢା ସମ୍ପତ୍ତି ତାର ।
ବାତୁଳ ପରାଏ ଅତୃପ୍ତ ପରାଣ
ଘନ ବିଭାବରୀ ବେଳେ
କେତେବେଳେ ହସ କେତେବେଳେ କାନ୍ଦ
ମଶାଣି ଜୁଇର କୋଳେ।
ସବୁ ସ୍ବପ୍ନ ତାର ପଡୁଥାଏ ଝଡି
ଏକାନ୍ତ ନିଶିଥ ସାଥି
କୁଆଁରୀ ମନର କଅଁଳ ସପନ
ଫେରନ୍ତା କି ତାର କତି ।
- ପଙ୍କଜିନୀ ଉପାଧ୍ୟାୟ
ଯାଜପୁର
********
ସମ୍ପାଦକ - ଜିତେନ୍ଦ୍ର ସେଠ
(Admin - www.loveodia.com)
(ଆମର ଏହି ୱେବ୍ ସାଇଟ୍ ମାଧ୍ୟମରେ ଯଦି ଆପଣ ବି ଆପଣଙ୍କର ଲେଖା କବିତା, ଗଳ୍ପ କିମ୍ବା କାହାଣୀ ଗୁଡିକୁ ପାଠକ ମାନଙ୍କ ଆଗରେ ପହଞ୍ଚାଇବାକୁ ଚାହାନ୍ତି ତେବେ ଆଉ ଡ଼େରି ନକରି ଆମ ସହିତ ଯୋଗାଯୋଗ କରନ୍ତୁ । ଆପଣଙ୍କର ଲେଖା ସହିତ ସମ୍ପୂର୍ଣ୍ଣ ଠିକଣା, ମୋବାଇଲ୍ ନମ୍ଵର ଏବଂ ସାଥିରେ ଏକ ପାସପୋର୍ଟ ସାଇଜ୍ ଫଟୋ ଉକ୍ତ ଠିକଣାରେ ଇ.ମେଲ୍ କରନ୍ତୁ । ଆମର ଇ. ମେଲ୍ ଠିକଣା ହେଲା - loveodia999@gmail.com
(ବିଶେଷ ସୂଚନା - ଲେଖାଟି Text Format ରେ ପଠେଇବେ । ଯଦି ଲେଖାଟିକୁ କାଗଜରେ ଲେଖି କିମ୍ବା ବହିରୁ ଫଟୋ ଉଠାଇ ପଠାଇଲେ ଗ୍ରହଣ କରାଯିବ ନାହିଁ)
0 Comments