ଏକ ବୃଦ୍ଧା ରାଜଦାସୀର ବିଳାପ
ମାଆ ଶବଦଟା ହେଲାଣି ପୁରୁଣା
ଶିଶୁ ରାବେ ମମି ମମି
ପାଂଚଘଣ୍ଟା ହେଲା କ୍ଷୀର ଖାଇନାହିଁ
ମମି ଯାଇଛନ୍ତି ଭ୍ରମି ।।୧।।
ଭୋଲି ରାଜଦାସୀ କେତେ ପରକାରେ
ଶିଶୁକୁ କରୁଛି ଗେଲ
ମାଆକୁ ନଦେଖି ଦୀର୍ଘ ସମୟରୁ
ଶିଶୁ ହୁଏ କଲବଲ ।।୨।।
ହାର ମାନୁନାହିଁ ଚାକରାଣୀ କେବେ
କରୁଛି ଶତ ପ୍ରଚେଷ୍ଟା
କ୍ଷୀର ସଂଗେ ନାନା ସ୍ବାଦିଷ୍ଟ ଆହାର
ଭୁଂଜାଇ କହଇ ବେଟା ।।୩।।
ଜନମିଛୁ ସିନା ରାଣୀର ଜଠରୁ
ପାଲିଅଛି ମୁହିଁ ତୋତେ
ମୋହରି ସନ୍ତାନସେବା ଭୁଲେଁସିନା
ତୋତେ ଭୁଲିବି କେମନ୍ତେ ।।୪।।
ତୋର ଜେଜେବାପ ଶିଶୁ ସମୟରୁ
ରହି ଆସିଛି ଏ ପୁରେ
ଏ ଉଆସ ଏବେ ଯାଦୁଘର ପ୍ରାୟେ
ପ୍ରତୀତ ହୁଏ ମନରେ ।।୫।।
ରାଜଥାଟ ଥିବା ସମୟରେ ଧନ
ଏହି ଭବ୍ୟ ଉଆସରେ
ରାୟସିଂହ ନାମ ଶୁଣିଲା ମାତ୍ରକେ
ଛାତି ଥରଇ ଭୟରେ ।।୬।।
ବିହଂଗ ପରାୟେ ଅସଂଖ୍ୟ ରମଣୀ
ପ୍ରବେଶୁ ଥିଲେ ଉଆସେ
ରାତ୍ର ମାତ୍ରକରେ ସତୀତ୍ବ ହରାଇ
ଗମୁଥିଲେ ସ୍ବପ୍ରବାସେ ।।୭।।
ସମୟର ସାଥେ ବାହୁଡିଲା ସବୁ
ମାତ୍ର ବଂଚିଅଛି କନା
କର୍ପୂର ଉଡିଛି ବାନା ଉଡିଗଲା
ରହିଛି ପ୍ରାଣେ ବେଦନା ।।୮।।
ଜେମା ସାଆନ୍ତାଣୀ ପୁଅ ହେଲେମଧ୍ୟ
ଆଜିଭି ତୋହର ବାପ
ମାଆବୋଲି ମୋତେଭାଷେ ବାଳ୍ୟକାଳୁ
ତାମନେ ନାହିଁ ବହପ ।। ୯।।
କିଶୋର ବୟସୁଁ ଦଶବର୍ଷ ପାଇଁ
ତୋବାପ ଥିଲା ବିଦେଶେ
ରାୟସିଂହ ବାବୁ ନିଶାଶକ୍ତ ଭବି
କେଳିରେ ମଗ୍ନ ଉଆସେ ।।୧୦।।
ପୁଅ ଲୋଟିବାର ଅଳ୍ପ ବ୍ୟବଧାନେ
ଗମିଲେ ସରଗପୁରେ
ରୋଦନ ବିହିନ ଶୁଦ୍ଧିକ୍ରିୟା ତାଂକ
ହୋଇଥିଲା ଆଡମ୍ବରରେ ।।୧୧।।
ବିନାଶର ପଥ ଖୋଲିଥିଲେ ସିଏ
ଭବିଲେ ସ୍ବୟଂ ବିନାଶ
ମାତ୍ର ଛଅମାସ ପରେ ରାଣୀମାଙ୍କ
ହୋଇଗଲା ସ୍ବର୍ଗବାସ ।।୧୨।।
ତୋର ଜେଜେଙ୍କର ଅନ୍ତୀମ ଇଚ୍ଛାରେ
ମହାରାଜ ପରିବାରେ
ଶିକ୍ଷିତ ପୁଅର ପରିଣୟ ହେଲା
ବୋହୁ ଆସିଲା ଏପୁରେ ।।୧୩।।
ବିଦେଶୀ ଶିକ୍ଷିତା ବୋହୁ ଆଦରିଛି
ସବୁ ବିଦେଶୀ ସଭ୍ଯତା
ନିଜ ଇଚ୍ଛାମତେ କରେ ସର୍ବକାର୍ଯ୍ୟ
ନଥାଏ ମନରେ ଚିନ୍ତା ।।୧୪।।
ତାର ବାଳ୍ୟବଂଧୁ ଅତି ଅଂତରଂଗ
ବିରାଜିଛି ଏ ସହରେ
ମଦିରା ସେବନ ରଂଗାଳୟ ଏକ
ଖୋଲିଅଛି ଅଳ୍ପଦୂରେ ।।୧୫।।
ତୋ ମାଆର ତାହା ଦ୍ବିତୀୟ ନିବାସ
ଛାଡି ପାରେନାହିଁ ମୋହ
ସଜ୍ଞାହୀନ ହୋଇ ଘରକୁ ଲୋଟେସେ
କାଆଗେ କହିବି କୁହ ।।୧୬।।
ରାଣୀମାଙ୍କ ଅଭିନବ ରୀତି ଦେଖି
ବାପ ଗମିଲା ବିଦେଶେ
ଅନ୍ନଦାତା ମନେ ଦାରୁଣ ବେଦନା
କହିବି ଯାଇ କା ପାଶେ ।।୧୭।।
ଏହିଦେଖ ଧନ ମୋଟର ଗାଡିରେ
ଆସୁଛି ତୋହର ବୋଉ
କାହାଅଙ୍କେ ଲୋଟି ହରାଇଛି ଜ୍ଞାନ
କିକହିବି ଧନ ଆଉ ।। ୧୮।।
ଭାବିବୁନି ଦିନେ ଘରକୁ ଆସିଲେ
ତୋମୂଖେ ଦେବ ଚୁଂବନ
ବକ୍ଷସ୍ଥଳେ ତାର ଆଦରି ଧରିବ
ଭାଗ୍ୟବାନ କୁନିଶ୍ବାନ ।।୧୯।।
ଶ୍ବାନମୋହୀ କିନ୍ତୁ ସ୍ବସନ୍ତାନ ମୋହ
ବିଲିନ ହେଲା ଏଯୁଗେ
ଅର୍ଥ ଯଉବନ ବେନି ଉପାଦାନ
ମଣିଷ ହରଷେ ଭୋଗେ ।।୨୦।।
ବାପା ରହିଗଲେ ବିଦେଶରେ ଧନ
ଅର୍ଥ ପଠାଇବେ ସିନା
କେମିତି ତାଂକର ହୃଦୟ ସହୁଛି
ଦ୍ବୀପାନ୍ତରେ ତୋର ବିନା ।। ୨୧।।
ଜନମକଲା ତୋ ଗର୍ଭଧାରୀ ମାତା
ପୁଅବୋଲି ଡାକେନାହିଁ
ସଂଭ୍ରାନ୍ତ ବଂଶର ଖେଳଣା ତୁଧନ
ମୋକୋଳେ ପଡତୁ ଶୋଇ ।।୨୨।।
ଚର୍ଚ୍ଚା ହେଉଥିଲା ଏହି ଉଆସକୁ
କରିବେ ଅତିଥି ଗୃହ
ଯଦିଏହା ଧନ ସତ ହୋଇଥିବ
କେମନ୍ତେ ବଂଚିବି କୁହ ।। ୨୩।।
କେଉଁ ଦୂରଦେଶ ଛାତ୍ରାବାସେ ତୋତେ
ଫିଙ୍ଗି ଆସିବ ତୋମମି
ଦର୍ଶନଟା ତୋର ଦୁର୍ଲଭ ହୋଇବ
ପାରିବିକି କେବେ ଗମି ।। ୨୪।।
ଅନ୍ତୀମ ନିଶ୍ବାସ ଥିବା ପରିଯନ୍ତେ ଛାଡି
ଛାଡି ପାରିବିନି ତୋତେ
ବିଦେଶୀ ପାଠରେ କିଜ୍ଞାନ ବଢ଼ିବ
ଜଣା ପଡୁନାହିଁ ମୋତେ ।। ୨୫।।
କେତେ ପିଢ଼ିଠାରୁ ତୁମରି ଅନ୍ନରେ
ହୋଇଛୁଁ ପ୍ରତିପାଲିତ
ତୁମରି ଆଶୀଷେ ଦେଖିନାହୁଁ କେବେ
ଦାରିଦ୍ର୍ୟର କଷାଘାତ ।। ୨୬।।
ଟିକିନିଖି ଯାହା ଗୁପତ ଘଟଣା
ଘଟିଛି ଯା ଉଆସରେ
ଅଜଣା ନୁହଇ ତାହା ମୋ ପାଇଁକି
କହିନି କାହା ଆଗରେ ।। ୨୭।।
ନୂଆଁବୋଉ ରୂପେ ତୋହର ଜନନୀ
ପ୍ରବେଶିଲେ ଏ ଉଆସେ
ଦେବୀପୂଜା ପଂଚାମୃତ ଦେବାଲାଗି
ପହଂଚିଲି ତାଂକପାଶେ ।।୨୮।।
ଏହିପ୍ରଥା କେଉଁ ପୁରାତନ ଯୁଗୁଁ
ରହିଅଛି ଏ ସଦନେ
କୁସଂସ୍କାର ବୋଲି ତିରସ୍କାର ଲଭି
ଲୋଟିଥିଲି ସେହିଦିନ ।।୨୯।।
ସାହାଭରସା ସେ ରାଜକୁଳଦେବୀ
ରହନ୍ତି ଭବି ଅପୂଜା
ତାଂକ ଆଶୀର୍ବାଦ ଯୋଗୁଁ ସିନା
ଧନ ଉଡୁଥିଲା ରାଜଧ୍ବଜା ।। ୩୦ ।।
- ସୁଧୀର କୁମାର ପଣ୍ଡା
*******
ସମ୍ପାଦକ - ଜିତେନ୍ଦ୍ର ସେଠ
(Admin - www.loveodia.com)
(ଆମର ଏହି ୱେବ୍ ସାଇଟ୍ ମାଧ୍ୟମରେ ଯଦି ଆପଣ ବି ଆପଣଙ୍କର ଲେଖା କବିତା, ଗଳ୍ପ କିମ୍ବା କାହାଣୀ ଗୁଡିକୁ ପାଠକ ମାନଙ୍କ ଆଗରେ ପହଞ୍ଚାଇବାକୁ ଚାହାନ୍ତି ତେବେ ଆଉ ଡ଼େରି ନକରି ଆମ ସହିତ ଯୋଗାଯୋଗ କରନ୍ତୁ । ଆପଣଙ୍କର ଲେଖା ସହିତ ସମ୍ପୂର୍ଣ୍ଣ ଠିକଣା, ମୋବାଇଲ୍ ନମ୍ଵର ଏବଂ ସାଥିରେ ଏକ ପାସପୋର୍ଟ ସାଇଜ୍ ଫଟୋ ଉକ୍ତ ଠିକଣାରେ ଇ.ମେଲ୍ କରନ୍ତୁ । ଆମର ଇ. ମେଲ୍ ଠିକଣା ହେଲା - loveodia999@gmail.com
(ବିଶେଷ ସୂଚନା - ଲେଖାଟି Text Format ରେ ପଠେଇବେ । ଯଦି ଲେଖାଟିକୁ କାଗଜରେ ଲେଖି କିମ୍ବା ବହିରୁ ଫଟୋ ଉଠାଇ ପଠାଇଲେ ଗ୍ରହଣ କରାଯିବ ନାହିଁ)
0 Comments